Welcome to shalandi webzine

ହାଇଫେନ୍ ଓ ସମଲିଙ୍ଗୀ ଓଡ଼ିଆ ସାହିତ୍ୟ

ଜାକିର ଖାନ୍

ଓଡିଆ ଭାଷାରେ ନିଷିଦ୍ଧ ହୋଇଥିବା ପ୍ରଥମ ସାହିତ୍ଯ ବହି ହେଉଛି ଚନ୍ଦ୍ରମଣି ଦାସଙ୍କ ଉପନ୍ୟାସ `ହାଇଫେନ` । ଏ ସମ୍ପର୍କରେ ଅନୁସନ୍ଧାନମୂଳକ ଆଲେଖ୍ୟ ବାଢିଛନ୍ତି ଗବେଷକ ଜାକିର ଖାନ୍ ।

ଚନ୍ଦ୍ରମଣି ଦାସଙ୍କ “ହାଇଫେନ୍” ଉପନ୍ୟାସିକା ବା ବଡ଼ଗଳ୍ପ ଓ ଚନ୍ଦ୍ରମଣି ଦାସଙ୍କ ବିଷୟରେ ଅଧିକ ତଥ୍ୟ ଖୋଜିବା ପର୍ଯ୍ୟାୟରେ ପ୍ରଥମେ ଗବେଷକ ତଥା ସାମ୍ବାଦିକ ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ଡ଼. ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଲିଖିତ ଚନ୍ଦ୍ରମଣି ଦାସଙ୍କ ମୋନୋଗ୍ରାଫ୍ (ବିନିବନ୍ଧ) ର କେତୋଟି ପୃଷ୍ଠାର ଫୋଟୋ, whatsapp ରେ ମୋର‌ ହସ୍ତଗତ ହେଲା । ଏହାପରେ ଡ଼. ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କୁ ଯୋଗାଯୋଗ କରି ସମ୍ପୂର୍ଣ୍ଣ ମୋନୋଗ୍ରାଫ୍ ଟି ମୋର ହସ୍ତଗତ ହେଲା । ଏଥିରୁ ଅନେକ କଥା ଜାଣିବାକୁ ପାଇଲି।

ଏଥିରୁ ଜଣାପଡେ ଚନ୍ଦ୍ରମଣି ଦାସଙ୍କ ଜନ୍ମ ୧୯୧୮ ମସିହାରେ ହୋଇଛି । ତାଙ୍କର ଜନ୍ମସ୍ଥାନ ଡେରାବିଶ ବ୍ଲକର ଠକେଇଦେଉଳି ଗ୍ରାମ । ବର୍ଷକର ହୋଇଥିବା ସମୟରେ ସେ ପିତା ମଧୁସୂଦନଙ୍କୁ ହରେଇ ଥିଲେ । କଟକ ପ୍ରିଣ୍ଟିଂ କମ୍ପାନୀ ପ୍ରେସରେ କାମ କରୁଥିବା ବେଳେ ପ୍ରକାଶନ ଓ ପ୍ରେସ୍ ପରିଚାଳନା ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ ଚନ୍ଦ୍ରମଣି । ତାଙ୍କ ସମ୍ପର୍କରେ ଏକ ରୋଚକ କଥା ହେଉଛି ମାଛ ଖାଇବାକୁ ସେ ଖୁବ୍ ଭଲ ପାଉଥିଲେ। ଥରେ ନିଆଁଖୁଣ୍ଟାରେ ଚନ୍ଦ୍ରମଣିଙ୍କର ଏକ ବ୍ୟଙ୍ଗ ଚିତ୍ର ପ୍ରକାଶ ପାଇଥିଲା, ସେଥିରେ ବିଲେଇ ହୋଇ ମାଛ ପଛେ ପଛେ ଯାଉଥିଲେ ସେ । ବିଲେଇର ମୁହଁ ଜାଗାରେ ଚନ୍ଦ୍ରମଣି ଦାସଙ୍କ ମୁହଁ ଥିଲା ‌।

ଚନ୍ଦ୍ରମଣିଙ୍କ ପିତା ବୟସର ଥିଲେ ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ କିନ୍ତୁ ସେମାନଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ଥିଲା । ଦୁହେଁ ବିଭିନ୍ନ ଲୋକଙ୍କ ପାଖରୁ ଭୂତ ଅନୁଭୂତି ସଂଗ୍ରହ କରି ଉଭୟଙ୍କ ମିଳିତ ସମ୍ପାଦନାରେ ପ୍ରକାଶ କରିଥିଲେ “ଅନ୍ୟ ରାଇଜର କଥା” । ଭୂତ ଗପକୁ ନେଇ ସଂକଳନ ପ୍ରସ୍ତୁତ କରିବା ସେ ସମୟରେ ଥିଲା ଏକ ଅଭିନବ ଉଦ୍ୟମ ।

ପ୍ରଗତି ଓ ଗୀତାପ୍ରେସ୍ ସ୍ଥାପନ, “ପ୍ରଗତି ସାହିତ୍ୟ ମନ୍ଦିର” ପ୍ରକାଶନ ସଂସ୍ଥା ପ୍ରତିଷ୍ଠା କରିବା ସହ ୧୯୩୭ରେ ଏକ ପାକ୍ଷିକ ପତ୍ରିକା “ପ୍ରଗତି” ପ୍ରକାଶିତ କରିବା ଆରମ୍ଭ କରିଥିଲେ ସେ । ପ୍ରଗତିର ପ୍ରଥମ ସଂଖ୍ୟାରେ ପ୍ରକାଶ ପାଇଥିଲା ତାଙ୍କର ବିବାଦୀୟ ପୁସ୍ତକ “ହାଇଫେନ୍” ର ବିଜ୍ଞାପନ —

 
 

“ଯୁଗାନ୍ତକାରୀ ଅବଦାନ
ହାଇଫେନ୍ (ବଡ଼ଗଳ୍ପ)
ମୂଲ୍ୟ - ଚାରି ଅଣା
ଲେଖକ - ଚନ୍ଦ୍ରମଣି ଦାସ ।
ପୁରୁଷର ପ୍ରିୟା କିଏ ? ନାରୀ ନା ପୁରୁଷ ? ଶିକ୍ଷିତ ସମାଜର ସବୁ ଭିତିରି କଥା ଧରା ପଡ଼ିଲା ।”

ହାଇଫେନ୍ ର ଉତ୍ସର୍ଗ ପତ୍ରରେ ଚନ୍ଦ୍ରମଣି ଦାସଙ୍କ ବକ୍ତବ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ —

“କ୍ଷଣିକ କାମନାର ତୃପ୍ତି ପାଇଁ ଯେଉଁ ତରୁଣମାନଙ୍କର ପ୍ରାଣ ଅକାଳରେ ବଳି ପଡୁଛି, ସେହିମାନଙ୍କ ହାତରେ ଦେଲି । ଏହି ଉତ୍ସର୍ଗ ଯେତେ ନିଷ୍ଠୁର ହେଲେ ମଧ୍ୟ ସେହିମାନଙ୍କ ଅନାବିଳ ସ୍ନେହ ଲାଭ କରିବ ବୋଲି ଆଶା କରେଁ ।”

ପ୍ରଗତି ପତ୍ରିକାରେ “ପ୍ରଗତି” ଶୀର୍ଷକ ପ୍ରବନ୍ଧରେ ରାଜକିଶୋର ରାୟ “ହାଇଫେନ୍” ସମ୍ପର୍କରେ ଉଲ୍ଲେଖ କରିଛନ୍ତି —

“...ଉଦାହରଣ ସ୍ୱରୂପ ଧରାଯାଉ - ଶ୍ରୀ ଚନ୍ଦ୍ରମଣି ଦାସଙ୍କର ପ୍ରଳୟ ସୂଚକ ଅଭିନବ ଅବଦାନ - “ହାଇଫେନ୍” ଉପନ୍ୟାସ । ଏଭଳି ପୁସ୍ତିକା ନୈଷ୍ଠିକ ସାହିତ୍ୟିକ ପ୍ରାଣରେ ଶୋଚନା ଆଣିବ ସନ୍ଦେହ ନାହିଁ ମାତ୍ର ସେ ଲେଖାଟି ଯେଉଁ ପରିସ୍ଥିତି ନେଇ ପ୍ରକାଶିତ ହୋଇଛି, ତାହା ସେଇ ପରିସ୍ଥିତିରେ ଏକ ଅଗ୍ରଲେଖା ଏବଂ ତାହାର ଲେଖକ ସେହି ଶ୍ରେଣୀୟ ଲେଖାର ଅଗ୍ରଦୂତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।”

ତେବେ ଦୁଇଟି କଥା ଏଠାରେ ଧ୍ୟାନ ଦେବା ଉଚିତ୍।

(୧) ଶିକ୍ଷିତ ସମାଜର ଭିତିରି କଥାକୁ ନେଇ ଏ ଲେଖାର ପରିକଳ୍ପନା କରାଯାଇଛି ।

(୨) ରାଜକିଶୋର ରାୟଙ୍କ ବକ୍ତବ୍ୟ...ସେ ଲେଖାଟି ଯେଉଁ ପରିସ୍ଥିତି ନେଇ ପ୍ରକାଶିତ ହୋଇଛି - ଏହି ଦୁଇଟି କଥା ଉପରେ ଗୁରୁତ୍ବ ଦିଆଯିବା ଉଚିତ୍ ।

ଏଷଣା (୧୪ଶ ଖଣ୍ଡ - ଜୁନ୍ ୧୯୮୭) ରେ ଡ଼. କୃଷ୍ଣ ଚରଣ ବେହେରାଙ୍କ “ସାହିତ୍ୟର ନିଷିଦ୍ଧ ଫଳ” ଶୀର୍ଷକ ଆଲୋଚନା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏଇ ସନ୍ଦର୍ଭରେ ହାଇଫେନ୍ ସମ୍ପର୍କରେ ଶ୍ରୀ ବେହେରା ଉଲ୍ଲେଖ କରିଛନ୍ତି - “ ଶ୍ରୀ ଚନ୍ଦ୍ରମଣି ଦାସଙ୍କ ହାଇଫେନ୍ କାହାଣୀଟି ୧୯୩୭ ମସିହାରେ କଟକର ଶ୍ରୀ ପ୍ରେସ୍ ରୁ ମୁଦ୍ରିତ ହୋଇ ପ୍ରକାଶ ପାଇଥିଲା। ପରେ ପରେ ଏହା ବିରୁଦ୍ଧରେ ଅଶ୍ଳୀଳତାର ଅଭିଯୋଗ ଅଣାଗଲା ‌ ଏବଂ ବିଚାରାଳୟର ନ୍ୟାୟରେ ଏହା ନିଷିଦ୍ଧ ହେଲା । ପୃଥିବୀର ବିଭିନ୍ନ ଦେଶରେ ଚିରାଚରିତ ସମକାମିତା ଏହାର ବିଷୟବସ୍ତୁ।××× ପ୍ରାଚୀନ ଗ୍ରୀସର ନାରୀକବି ସାଫୋ ଆପଣା କବିତାରେ ନାରୀ ପ୍ରତି ନାରୀର ଦୈହିକ ଆକର୍ଷଣ ଓ ପ୍ରେମର ଜୟଗାନ କରିଛନ୍ତି ‌। ଫରାସୀ ଲେଖକ ଆନ୍ଦ୍ରେ ଜିତ୍ ଏବଂ ଆଇରିଶ୍ ଲେଖକ ଓସ୍କାର୍ ୱାଇଲ୍ଡଙ୍କ ସାହିତ୍ୟ କୃତିରେ ସମକାମିତାର ସ୍ୱାଦ୍ୟ ଚିତ୍ର ପରିବେଷିତ ହୋଇଛି ।

“ହାଇଫେନ୍” ସେଇପରି ଏକ ସମକାମୀ ତ୍ରିଭୁଜ ପ୍ରେମକାହାଣୀ। ସରଳ ନାମଧ୍ୟେୟ ଜଣେ ସୁଦୃଶ୍ୟ ତରୁଣ ସହିତ ଶଶୀ ଓ ନିର୍ମଳ ନାମଧ୍ୟେୟ ଦୁଇଜଣ ଯୁବକଙ୍କର ଦୈହିକ ଆକର୍ଷଣ ଏବଂ ତଜ୍ଜନିକ ପାରସ୍ପରିକ ଇର୍ଷା, ଦ୍ୱନ୍ଦ ଏଥିରେ ସୁନ୍ଦର, ସଂଯତ ଭାବରେ ବର୍ଣ୍ଣିତ ହୋଇଛି । ବର୍ଣ୍ଣନାରେ ନଗ୍ନତା ଓ ଇତରତା କୁତ୍ରାପି ପରିଲକ୍ଷିତ ହୁଏନାହିଁ। ବରଂ ସୁନ୍ଦର, ସୁଗଠିତ ତରୁଣ - ଦେହର ଆକର୍ଷଣ, ତଜ୍ଜନିକ ଭାବାବେଗ, ପାଠକ ଚିତ୍ତକୁ ସ୍ପନ୍ଦନାୟିତ କରିଥାଏ । ସର୍ବୋପରି, ଦୈହିକ ଜାନ୍ତବ କ୍ଷୁଧା ଜାଗରୁକ କରିବା କାହାଣୀଟିର ଉଦ୍ଦେଶ୍ୟ ନୁହେଁ, ଲେଖକଙ୍କ ଭାଷାରେ - ନିର୍ମଳ ଓ ତା`ର ସଙ୍ଗୀମାନେ ଯେ ସରଳର ସର୍ବନାଶ କରୁଛନ୍ତି, ସେ କଥା ସରଳ ଆଦୌ ବୁଝିପାରିଲା ନାହିଁ। କ୍ଷଣିକ ସ୍ନେହ, ଆଦର ଓ ସାମାନ୍ୟ ଜିନିଷର ଉପହାରରେ ଏକାବେଳକେ ଭୁଲିଗଲା ତା`ର ମାନବ ଜୀବନର ଉଦ୍ଦେଶ୍ୟ (ପୃ.୩୮) । ପୁଣି ନିର୍ମଳ ପ୍ରମୁଖଙ୍କ ସହ ଯେତେବେଳେ ସରଳ ଗଣିକାଳୟକୁ ଯାଇ ମଦ୍ୟପାନ କରିଛି ଏବଂ ଗଣିକା ସର ହାତରୁ ଛାଞ୍ଚୁଣି ପ୍ରହାର ଖାଇଛି, ସେତେବେଳେ ଏ କାହାଣୀର ବକ୍ତବ୍ୟ ସ୍ପଷ୍ଟ ହୋଇ ଉଠିଛି ।”

ହାଇଫେନ୍ ଲେଖିବା ସମୟରେ ଚନ୍ଦ୍ରମଣି ଦାସଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା। ସମଲିଙ୍ଗୀ କାହାଣୀକୁ ନେଇ ଲିଖିତ "ହାଇଫେନ" ଉପନ୍ୟାସ ଯୋଗୁଁ ସେ ବିତର୍କର ବଳୟରେ ଥିଲେ । ଭାରତୀୟ ଭାଷାରେ ସମଲିଙ୍ଗୀ ବିଷୟବସ୍ତୁକୁ ନେଇ ଲିଖିତ ପ୍ରାରମ୍ଭିକ ସମୟର ଲେଖା ମଧ୍ୟରୁ ଅନ୍ୟତମ ହେଉଛି “ହାଇଫେନ୍” । ଏହାପୂର୍ବରୁ ୧୯୨୪ ମସିହାରେ ପ୍ରକାଶିତ ପ୍ରସିଦ୍ଧ ହିନ୍ଦୀ ଲେଖକ ପାଣ୍ଡେୟ ବେଚୈନ୍ ଶର୍ମା ଉଗ୍ରଙ୍କ “ଚୋକଲେଟ୍” ଗଳ୍ପ ସଙ୍କଳନରେ ୮ଟି ପୁରୁଷ ସମକାମୀ ଗଳ୍ପ ସଙ୍କଳିତ ହୋଇଛି ।

ହାଇଫେନ୍ ଉପନ୍ୟାସ କୁ ନେଇ ହୋଇଥିବା ବିବାଦ କଟକ ଜିଲ୍ଲା କୋର୍ଟରେ ପହଞ୍ଚି ଥିଲା । ମୁଦାଲା ଚନ୍ଦ୍ରମଣିଙ୍କ ତରଫରୁ କେଶ୍ ଲଢିଥିଲେ ଓକିଲ ରାଜକିଶୋର ଦାସ ।

ଜଷ୍ଟିସ ଦାସଙ୍କ ଆତ୍ମଜୀବନୀ `ଅନେକ ଦିନର ଅନେକ କଥା` ରୁ ଉକ୍ତ କେସ୍ ସଂପର୍କରେ ତାଙ୍କ ଉକ୍ତିଟିକୁ ଅବିକଳ ଉଦ୍ଧାର କରୁଛି -

“୧୯୩୭ ମସିହାରେ ଚନ୍ଦ୍ରମଣି ଦାସ “ହାଇଫେନ୍” ନାମକ ଉପନ୍ୟାସଟିଏ ରଚନା କରିଥିଲେ । ସେହି ଉପନ୍ୟାସଟି ବାଲୁବଜାର ଷ୍ଟୁଡେଣ୍ଟସ ଷ୍ଟୋରରେ ବିକ୍ରି ହେଉଥିବା ଅବସ୍ଥାରେ ପୋଲିସ ଏହାକୁ ଜବତ କରିଥିଲା ଓ କେଶ୍ ରୁଜୁ କରିଥିଲା । ଉକ୍ତ ମକଦ୍ଦମା ମାଜିଷ୍ଟ୍ରେଟ ଭରତ ଚନ୍ଦ୍ର ନାୟକଙ୍କ କୋର୍ଟରେ ପଡିଥିଲା । କାଶୀନାଥ ସାହୁ ନାମକ ଜଣେ ବ୍ୟକ୍ତି ସେ ବହିଟିକୁ ଶ୍ରୀ ପ୍ରେସରେ ଛାପିଥିଲେ । ଉକ୍ତ ଉପନ୍ୟାସର ସାହିତ୍ୟିକ ମୂଲ୍ୟବୋଧ ଯାହା ଥାଉ ନା କାହିଁକି, ତାହା ଏକ ଅଶ୍ଳୀଳ ପୁସ୍ତକ ବୋଲି କୋର୍ଟରେ ଅଭିଯୋଗ ହୋଇଥିଲା । ଓଡିଶାର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଏ କେସରେ ସରକାରଙ୍କ ତରଫରୁ ସାକ୍ଷ୍ୟ ପ୍ରଦାନ କରିଥିଲେ । ସେମାନଙ୍କ ମଧ୍ୟରୁ ବିହାର ଓଡିଶା ବିଧାନସଭାର ସଦସ୍ୟ ଦେୱାନ ବାହାଦୁର ଶ୍ରୀକୃଷ୍ଣ ମହାପାତ୍ର, ରେଭେନ୍ସାର ତତ୍କାଳୀନ ଅଧ୍ୟକ୍ଷ ଡ. ପ୍ରାଣକୃଷ୍ଣ ପରିଜା, ରାୟସାହେବ ଆର୍ତ୍ତବଲ୍ଲଭ ମହାନ୍ତି, ରାୟବାହାଦୁର ଗୋପାଳ ଚନ୍ଦ୍ର ପ୍ରହରାଜ, ରାୟବାହାଦୁର ଭିକାରୀ ଚରଣ ପଟନାୟକଙ୍କ ନାମ ଉଲ୍ଲେଖଯୋଗ୍ୟ । ମକଦ୍ଦମାଟି କଟକରେ ବହୁ ହଇଚଇ ସୃଷ୍ଟି କରିଥିଲା ।

ମୁଦାଲାଙ୍କ ତରଫରୁ ମୁଁ ମକଦ୍ଦମା ପରିଚାଳନା କରିଥିଲି । ଏହି ମକଦ୍ଦମାର ଆଇନଗତ ଗୁରୁତ୍ବ ନଥିଲେ ମଧ୍ୟ, ବଡବଡ ଲୋକ ସରକାରଙ୍କ ତରଫରୁ ସାକ୍ଷ୍ୟ ହେବାରୁ ମୁଦାଲା ନିଜକୁ ବଡ ଅସହାୟ ମନେ କରୁଥିଲେ । ମାତ୍ର ମୁଁ ମକଦ୍ଦମା ଲଢିବାକୁ ରାଜି ହେବାରୁ ସ୍ବର୍ଗତ ଦାସ ଆଶ୍ବସ୍ତି ଲାଭ କରିଥିଲେ ।

"ହାଇଫେନ" ଏକ ଅଶ୍ଳୀଳ ଇଙ୍ଗିତ ପ୍ରଦାନକାରୀ ଶବ୍ଦ ହୋଇଥିବା ଅଭିଯୋଗର ମୁଁ ପ୍ରତିବାଦ କରିଥିଲି । ମୋର ଯୁକ୍ତି ଥିଲା ବହୁ ଇଂରାଜୀ ଲେଖକ ତାଙ୍କ ଲେଖାରେ ଏହି ହାଇଫେନ ଶବ୍ଦ ବ୍ୟବହାର କରିଛନ୍ତି ‐ "Hyphen Which joins a buckle" ‐ ଏହା କେବଳ ଦୁଇଟି ଶବ୍ଦକୁ ଯୋଡିବା (Compound word)ପାଇଁ ଉଦ୍ଦିଷ୍ଟ । ଏଥିରେ ଅଶ୍ଳୀଳତା କିଛି ନାହିଁ । ଅଶ୍ଳୀଳ ଉପନ୍ୟାସ ସଂପର୍କିତ ଏକ ମକଦ୍ଦମା ବିଚାର କରାଯାଉଛି ଭାବି କଚେରୀରେ ବହୁ ଲୋକ ରୁଣ୍ଡ ହେଉଥିଲେ । ଏ କେସ୍ ସାରା ଓଡିଶାରେ ମଧ୍ୟ ଚହଳ ପକାଇ ଦେଇଥିଲା ।”

ତେବେ ଜଣେ ୧୯ ବର୍ଷର ଯୁବକ ଦ୍ୱାରା ରଚିତ “ହାଇଫେନ୍” - ନିଶ୍ଚିତ ତାଙ୍କର ସାହସର ପରିଚୟ । ଏ ସମ୍ପର୍କରେ ଶ୍ରୀ ବେହେରାଙ୍କ ପୂର୍ବୋକ୍ତ ପ୍ରବନ୍ଧର ଉପସଂହାର ବେଶ୍ ଗୁରୁତ୍ୱପୂର୍ଣ୍ଣ -

“...ସୁତରାଂ ହାଇଫେନ୍ କାହାଣୀ ସମ୍ପର୍କରେ ବିଚାରାଳୟର ରାୟକୁ ସମ୍ମାନ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ବୋଲିବାକୁ ପଡୁଛି ଯେ - କାହାଣୀଟିକୁ ନିଷିଦ୍ଧ କରିବା ମୂଳରେ କୌଣସି କାରଣ ଥିଲା ଭଳି ମନେ ହେଉ ନାହିଁ ‌।”

ତେବେ ଚନ୍ଦ୍ରମଣି ଦାସଙ୍କ ବହୁଚର୍ଚ୍ଚିତ ପୁସ୍ତକ “ହାଇଫେନ୍” ପ୍ରାୟତଃ ଦୁଷ୍ପ୍ରାପ୍ୟ ହୋଇସାରିଲାଣି। ଆଉ କେଉଁଠାରେ ଏହା ପ୍ରାୟ ଉପଲବ୍ଧ ହେଉନାହିଁ। ତେବେ ଦୁଃଖର କଥା ୧୯୩୭ରୁ ଏଯାବତ ବିଚାରାଳୟର ରାୟ କାରଣରୁ ଏହା ନିଷିଦ୍ଧ ହୋଇ ରହିଛି। ଅଦାଲତଙ୍କ ଏଇ ରାୟ ବିରୁଦ୍ଧରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇ ଏଇ ନିଷିଦ୍ଧାଜ୍ଞା ହଟାଯିବ ଏବଂ ଏହାକୁ ପୁନଃ ପ୍ରକାଶିତ କରାଯିବ ବୋଲି ମୁଁ ଆଶା କରୁଛି।

*

(କୃତଜ୍ଞତା — ରାଜ୍ ମହାପାତ୍ର, ପୁରୀ
ଜ୍ୟୋତି ଶଙ୍କର ପଣ୍ଡା “ହୟାତ”)

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Image
Thank you JakIr babu and Raj babu for digging the
18-11-2023 / 21:10:30

Excellent

Image
Basant Behera
18-11-2023 / 19:31:38

Very interesting.... Deep analysis sir... Congratulations for your effort to recover many uncovered things.

Image
ରାଜକିଶୋର ମହାପାତ୍ର
18-11-2023 / 15:22:34

ଖୁବ୍ ଉପାଦେୟ ଆଲୋଚନା

Image
ବଦ୍ରୀ ମହାନ୍ତି
18-11-2023 / 13:56:06

ଜାକୀର ପୂର୍ବବତ ଅନାଲୋଚିତ କଥାମାନଙ୍କୁ ଚର୍ଚ୍ଚାର ପରିସର ଭୁକ୍ତ କରି ନିଆରା ସାରସ୍ୱତ କର୍ମ କରୁଥିବାରୁ ଅଭିନନ୍ଦନୀୟ।ଅପ୍ରମିତ ଶ୍ରଦ୍ଧା ତାଙ୍କୁ।

Image
ନିବାରଣ ଜେନା
18-11-2023 / 12:21:02

ଜାକିରଙ୍କ ସମଲିଙ୍ଗୀ ଗଳ୍ପ ସଂପର୍କରେ ପ୍ରଥମେ ହାଇଫେନ୍ ସୂଚନା ଦେଲେ। ଅକ୍ଷୟ ମହାନ୍ତିଙ୍କ ଉପନ୍ୟାସ ନଦୀ ଉପନଦୀ ଏମିତି ନାରୀ ନାରୀ ସହ ସମଲିଙ୍ଗୀ ସଂପର୍କିତ ଏକ ଉପନ୍ୟାସ ପଢନ୍ତୁ।

Image
ଭାବଗ୍ରାହୀ ଦାଶ
18-11-2023 / 12:15:36

ଖୁବ ସୁନ୍ଦର ଓ ଉପାଦେୟ ତଥ୍ୟ ସମ୍ବଳିତ ଆଲେଖ୍ୟ।ଦିବଂଗତ ଲେଖକ ଚନ୍ଦ୍ରମଣି ଦାସ ଆମ ପାଖା ପାଖି ଅଂଚଳର।ଅଥଚ ତାଙ୍କ ବିଷୟରେ ଏଠାରେ ଚର୍ଚ୍ଚା ହେବା ମୁଁ କେବେ ଶୁଣିନାହିଁ।ଅଶେଷ ଧନ୍ୟବାଦ ଓ ଅଜସ୍ର ଅଭିନନ୍ଦନ ଆପଣଙ୍କୁ।

Image
Dr. Ritu Lata Biswal
18-11-2023 / 11:22:50

ସାହିତ୍ୟ ଜଗତର ନୂତନ ତଥ୍ଯ ପାଠକ ଓ ସାହିତ୍ୟିକ ମହଲକୁ ଆଣିବାର ପ୍ରୟାସ ଜାରି ରହୁ।

Image
Chakradhar Das
18-11-2023 / 10:44:12

ଏକ ଅଭିନବ ଆଲୋଚନା ପାଇଁ ସାର୍ ଙ୍କୁ ନମସ୍କାର ଜଣାଉଛି।

Image
ମୁକୁନ୍ଦ ଶତପଥି
18-11-2023 / 10:22:52

ଖୁବ ସୁନ୍ଦର ଲେଖାଟିଏ।ଜାକିର ଖାନଭାଇଙ୍କୁ ଧନ୍ୟବାଦ।ଶାଳନ୍ଦି ସାହିତ୍ୟ ଏଇମିତି ନୁଆଁ କଥା କିଛି ଭେଟିଦେଉ।

Leave a comment

Name

Email or Phone No (the information will be not disclosed)

Comment