ଅନେକ ଲେଖକଙ୍କ ଆଦ୍ୟ ପ୍ରେରଣା ଥିଲେ ନିରଞ୍ଜନ

ରାଧୁ ମିଶ୍ର

ଶାଳନ୍ଦୀ ସାହିତ୍ଯ ପତ୍ରିକାର ସମ୍ପାଦକ ନିରଞ୍ଜନ ନାୟକ ଆଉ ଆମ ଗହଣରେ ନାହାନ୍ତି । ଗତ ୧୦.୦୯.୨୦୨୪ ରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ କରିଛନ୍ତି ରାଧୁ ମିଶ୍ର ।

ନିରଞ୍ଜନ ନାୟକ ଆଜି ମୋ ସମେତ ଓଡ଼ିଶାର ଅନେକ ଲେଖକଙ୍କ ପାଇଁ କିମ୍ବଦନ୍ତୀ ପାଲଟି ଯାଇଛନ୍ତି । ତାଙ୍କ ସହିତ ପ୍ରଥମ ଦେଖା ହୋଇଥିଲା 1979 ରେ ରାଉରକେଲାର ଗୋଟିଏ ସାହିତ୍ୟ ସଭାରେ । ସେତେବେଳେ ତାଙ୍କ ଆବେଗ ଛଳଛଳ କବିତା ଓ ଆବୃତ୍ତି ଶୈଳୀରେ ମୁଁ ପ୍ରଭାବିତ ହୋଇଥିଲି ଓ ଜାଣିଲି ଯେ ସେ ଏଇଠି ତାଙ୍କ ବଡବାପାଙ୍କ ଘରେ ରହୁଛନ୍ତି । କିଛି ଥର ଭେଟ ହେଲା ଭିତରେ ଯେତେବେଳେ ଜାଣିଲି ଯେ ତାଙ୍କର ଉପାର୍ଜନ କିଛି ନାହିଁ ଓ ହିଟଲର ତୁଲ୍ୟ ବଡ଼ବାପାଙ୍କ କଟକଣା ଭିତରେ ରହିବା ତାଙ୍କ ପକ୍ଷରେ କଷ୍ଟକର ହୋଇପଡୁଛି, ତାଙ୍କୁ ମୋ ଘରକୁ ନେଇ ଆସିଲି । ମୋ ଘର ମାନେ ଦୁଇଜଣ ବେଙ୍କ କର୍ମଚାରୀ ବନ୍ଧୁଙ୍କ କ୍ୱାର୍ଟର । ସେମାନେ ମୋତେ ଡାକି ନେଇ ନିଜ କ୍ୱାର୍ଟରରେ ରଖାଇଥିଲେ । ମୋ ସହିତ ସେଯାଏଁ ଚାକିରି କରିନଥିବା ସଦାନନ୍ଦ ତ୍ରିପାଠୀ ବି ଆସି ସେଇଠି ରହିଲେ, ଯଦିଓ ରାଉରକେଲାରେ ତାଙ୍କ ବାପାଙ୍କ ଘର ପରିବାର ଥିଲା । ତାପରେ ଆସିଲେ ନିରଞ୍ଜନ । ସମସ୍ତେ ଥିଲୁ ଅବିବାହିତ ।

ରନ୍ଧାବଢା କରିବା ପାଇଁ ଗୋଟିଏ ବଙ୍ଗାଳି ପିଲା ଥିଲା । ପାଖ ଜଳଖିଆ ଦୋକାନୀ ଓ ପାନ ଦୋକାନୀଙ୍କୁ କହି ଦେଇଥିଲି ନିରଞ୍ଜନଙ୍କୁ ଜଳଖିଆ, ସିଗାରେଟ ପେକେଟ, ଯେତେବେଳେ ଯାହା ଦରକାର ଦେଇ ମୋ ବାକି ଖାତାରେ ଚଢେଇଦେବା ପାଇଁ । ସେ ମୋ ସହିତ ବର୍ଷାଧିକ କାଳ ରହିବା ଭିତରେ ଅନେକ ଲେଖକଙ୍କ ଘରକୁ ଯାଇଛୁ । ଗଲାବେଳେ ସେଇ ଲେଖକଙ୍କ ସ୍ଵଭାଵ କଣ, ତାଙ୍କ ସହ କୋଉ ବିଷୟରେ କିଭଳି କଥା ହେବା ଉଚିତ ନିରଞ୍ଜନଙ୍କୁ ଯାହା କହିଥିଲି, ସେଇଟା ମୋ ପାଇଁ ହୁଏତ ସାଧାରଣ କିନ୍ତୁ ସେଇ ଟେକ୍ନିକକୁ ସେ ଏତେ ବର୍ଷ ଧରି ମନେ ରଖିଥିଲେ । ସେତେବେଳେ ହରିବୋଲ ପ୍ରକାଶ ପାଉଥିଲା ଓ ନିରଞ୍ଜନ ତାର ସମ୍ପାଦନା, ପ୍ରୁଫ ରିଡିଙ୍ଗ, ପତ୍ରିକା ବିତରଣ କାର୍ଯ୍ୟରେ ମଝିରେ ମଝିରେ ଆଗ୍ରହ ସହକାରେ ସାମିଲ ହେଉଥିଲେ । ଏଇଭଳି ମୋଠାରୁ କୁଆଡେ ସେ ବହୁକଥା ଶିଖିଥିଲେ ବୋଲି ବିଭିନ୍ନ ବନ୍ଧୁଙ୍କୁ ବାରମ୍ବାର କହିଛନ୍ତି । ଆମେ ଜୀବନରେ ବହୁ ଲୋକଙ୍କ ଦ୍ୱାରା ତାଙ୍କ ଜାଣତରେ ବା ଅଜାଣତରେ ଉପକୃତ ହୋଇଥାଉ, ହେଲେ ଏଥିପାଇଁ କେତେଦୂର କୃତଜ୍ଞତା ଭାବକୁ ଅନୁଭବ କରିଛୁ ବା ମୁକ୍ତକଣ୍ଠରେ ପ୍ରକାଶ କରିଛୁ, ତା ସହ ତୁଳନା କଲେ ଜାଣିହେବ, ନିରଞ୍ଜନ କେତେ ଉଚ୍ଚରେ ଥିଲେ ।

ଅନେକ ଦିନ ପରେ ନିରଞ୍ଜନ କେନ୍ଦୁଝର ଫେରିବାର ନିଷ୍ପତ୍ତି କଲେ

 
 
। ମୋତେ ପଚାରିଲେ - ମୋର ଭବିଷ୍ୟତ ଜୀବନ ପାଇଁ କିଛି ଉପଦେଶ ଦିଅନ୍ତୁ । ସେତେବେଳେ ମୋ ବୟସ ହୁଏତ 28 ହେଇଥିବ, ମୁଁ କି ଉପଦେଶ ଦେବି? କହିଲି - ମନ ଯୁଆଡକୁ ଟାଣୁଛି ସେ ମାର୍ଗରେ ମାଡ଼ିଯାଅ, କିନ୍ତୁ ଏ ପତ୍ରିକା ପ୍ରକାଶନର ପାଗଳାମି କରିବନି । ସେ ଯିବାର ଛଅମାସ ପରେ ଚିଠି ଆସିଲା - ଆପଣ ଯେଉଁ କଥାକୁ ବାରଣ କରିଥିଲେ, ମନଟା ସେ ଆଡ଼କୁ ଟାଣୁଛି, ମୁଁ କଣ କରିବି? ଶାଳନ୍ଦୀ ବୋଲି ପତ୍ରିକାଟିଏ କରିବା ପାଇଁ ଅନେକ ବାଟ ଆଗେଇ ଗଲିଣି । ହେଲେ ପତ୍ରିକାର ଲୋକପ୍ରିୟତା ପାଇଁ ଆପଣଙ୍କ ହାତ ବାଜିବା ଦରକାର ।

ତାର କିଛିଦିନ ପରେ ଆସି ପହଂଚିଗଲେ ରାଉରକେଲାରେ । ସେତେବେଳେ ସାଧୁ ମେହେରଙ୍କ ପ୍ରଯୋଜିତ ନିର୍ଦ୍ଦେଶିତ `ଅଭିଳାଷ`ର ପ୍ରଡ଼କ୍ସନ ମେନେଜର ଭାବରେ ମୁଁ ବ୍ୟସ୍ତ ଥିଲି । "ବଢିଲା ଝିଅଙ୍କ ବାପାମାନେ"ର କିଛି ପୃଷ୍ଠା ଆରମ୍ଭ ହୋଇ ଟେବୁଲରେ ପଡ଼ିଥାଏ । ସେଇଟା ନିରଞ୍ଜନଙ୍କ ନଜରରେ ପଡିଗଲା । ତାକୁ ପଢିଦେଇ ସେ ଅଧିକାରପୂର୍ବକ ତାକୁ ନିଜ ବେଗରେ ପୂରାଇ କହିଗଲେ, ଆପଣ ତ ବ୍ୟସ୍ତ ଅଛନ୍ତି, ମୁଁ ଫେରି ଯାଉଛି । ହେଲେ `ଶାଳନ୍ଦୀ` ବାହାରୁଥିବା ଯାଏଁ ୟାକୁ ଲମ୍ବେଇ ଚାଲନ୍ତୁ । ୟାକୁ ଧାରାବାହିକ ଛାପିବା । ତାକୁ ବହି ରୂପ ଦେବା କଥା ମୁଁ ଚିନ୍ତା କରିନଥିଲି । କିନ୍ତୁ ସେଇ କିଛି ପୃଷ୍ଠା ଏଭଳି ଲୋକପ୍ରିୟ ହେଲା ଯେ ତାପରେ ନିରଞ୍ଜନ ପ୍ରତି ତିନିମାସରେ ଆସି ତିନି ଚାରିଦିନ ରହି ଆଉ କିଛି ପୃଷ୍ଠା ନେଇ ଚାଲିଲେ । ପ୍ରକୃତରେ ସଂଗଠନ ଓ ସମ୍ପାଦନା କାମରେ ହିଁ ମୁଁ ବେଶି ସାହିତ୍ୟିକ ଆନନ୍ଦ ପାଇଥାଏ । ଏଇଭଳି ବାଧ୍ୟବାଧକତାରେ ପଡ଼ି ହିଁ ଜୀବନରେ ଅଳ୍ପ ଯାହା କିଛି ଲେଖିପାରିଛି । କିନ୍ତୁ ଆଶ୍ଚର୍ଯ୍ୟ, ସେଇ "ବଢିଲା ଝିଅ ... " ବହିଖଣ୍ଡକ ପାଇଁ ଆଜି ଅନେକ ପାଠକ ମୋତେ ଚିହ୍ନନ୍ତି । ସେ ଦୃଷ୍ଟିରୁ ମୋତେ ଲେଖକ ଭାବରେ ପରିଚିତ କରାଇବା ବ୍ୟକ୍ତି ହେଉଛନ୍ତି ନିରଞ୍ଜନ ।

ତାଙ୍କର ଅନେକ ଏକାନ୍ତ ବ୍ୟକ୍ତିଗତ ମାମଲାରେ ସେ ଅନେକଥର ରାଉରକେଲା ଆସି ମୋର ପରାମର୍ଶ ମାଗିଛନ୍ତି, ଯେଉଁ ମାମଲାରେ ମୋର କୌଣସି ଅନୁଭୂତି ନଥିଲା । ତଥାପି ମୁଁ ତାଙ୍କୁ ମାର୍ଗଦର୍ଶନ ଦେବାରେ କାର୍ପଣ୍ୟ କରିନାହିଁ । ଏଭଳି ଗୋଟିଏ ମାର୍ଗଦର୍ଶନକୁ (ପ୍ରକାଶ ଅନୁପଯୋଗୀ) ଅକ୍ଷରେ ଅକ୍ଷରେ ପାଳନ କରି ସେ ଯେଭଳି ହରଡ଼ଘଣାରେ ପଡ଼ିଥିଲେ ସେ କଥା ଭାବି ସେତେବେଳେ ମୁଁ ବହୁତ କଷ୍ଟ ପାଇଛି । ପରେ କିଛିଥର କେନ୍ଦୁଝର ଯାଇଛି । ଯେଉଁ କାମରେ ଗଲେ ବି ବସରୁ ରିସିଭ କରିବାଠୁ ନେଇ ବସରେ ବସେଇବା ପର୍ଯ୍ୟନ୍ତ ନିରଞ୍ଜନଙ୍କ ଅକ୍ତିଆରରେ ଥାଏଁ । ତାଙ୍କ ମୋଟର ସାଇକେଲରେ ସାନ ଘାଘରାରୁ ଖିଚିଂ ପର୍ଯ୍ୟନ୍ତ ମୋତେ କେତେ କୁଆଡେ ବୁଲେଇଛନ୍ତି । କେବେ କେବେ ଅନିର୍ଦ୍ଦିଷ୍ଟ ଯାତ୍ରାରେ ବି ବୁଲିଛୁ । ରାସ୍ତା ସାରା ପୁରୁଣା ସ୍ମୃତି ଓ ଆଗାମୀ ଯୋଜନାକୁ ନେଇ ଗପର ଖିଅ ଲମ୍ବିଥାଏ । କଥା ଆରମ୍ଭ ହେଲେ ନିରଞ୍ଜନଙ୍କ ଭାବାବେଗକୁ ଅଟକାଇବା ସହଜ ହୁଏନାହିଁ । ସେଥିରେ ଥାଏ ଓଡ଼ିଶାର ବହୁ ଲେଖକ ବନ୍ଧୁଙ୍କ ପ୍ରଶଂସା । ସବୁଠୁ ବେଶି ଶୁଣିଛି ପରେଶ ପଟ୍ଟନାୟକ, ଗୌରହରୀ ଦାସ ଓ ସଦାନନ୍ଦ ତ୍ରିପାଠୀଙ୍କ ସମ୍ପର୍କରେ । କିଛି ବର୍ଷ ହେଲା ସେ କେତେ ଥର କହିଛନ୍ତି - ଆପଣ, ସଦାନନ୍ଦ ଆଉ ସରୋଜ ଆଦି ମିଶି ଦୁଇଦିନ ପାଇଁ କେନ୍ଦୁଝର ଆସନ୍ତୁ । ସହର ବାହାରେ ଗୋଟେ ଘରେ ଦୁଇଦିନ ଦୁଇରାତି ଖାଲି ଗପିବା । କହିବା ପାଇଁ ଛାତିରେ ବହୁତ କଥା ବାକି ରହିଛି । ହେଲେ ସେଇଟା କେବେ ସମ୍ଭବ ହୋଇପାରିଲା ନାହିଁ ।

ନିରଞ୍ଜନଙ୍କ ଭଳି ନିର୍ଭେଜାଲ ଆତ୍ମୀୟ ମଣିଷଟେ ମିଳିବା ସତରେ ବିରଳ । ବନ୍ଧୁମାନଙ୍କ ସଫଳତାରେ ସେ ବିଭୋର ହୋଇ ଉଠୁଥିଲେ । ନିଜର ଦୁର୍ଦ୍ଦିନ ବେଳେ ବି କେବେ ହତାଶ ହେଉନଥିଲେ କି ଆଉଥରେ ଶାଳନ୍ଦୀ ପ୍ରକାଶ କରିବାର ସ୍ବପ୍ନ ଦେଖିବା ଛାଡୁନଥିଲେ । ନିଜର ସାପ୍ତାହିକ `କେନ୍ଦୁଝର ଟାଇମ୍ସ` କାମରେ ଦୌଡୁଥିବା କାଳରେ 2020 ମସିହାରେ ଥରେ ମୋ ମାଁ ଓ ଭାଇ ଭଉଣୀଙ୍କ ସହିତ ଆମେ ଗଦାଭାଇଙ୍କ ଆନନ୍ଦପୁର କାର୍ଯ୍ୟକ୍ରମରୁ ରାଇରଙ୍ଗପୁର ଯାଉଛୁ ଶୁଣି ବାଟରେ ଅପେକ୍ଷା କରି ରହିଥାଆନ୍ତି । ସେଇଠି ଗାଡି ଅଟକାଇ କୋଳାକୋଳି ହୋଇ କୋଡିଏ ମିନିଟ କାଳ ଗପ କଲାପରେ ଦୁଃଖର ସହିତ ବିଦାୟ ଦେଇଥିଲେ । ସେଇଟା ଆମର ଶେଷ ସାକ୍ଷାତ ହେବ ବୋଲି କଳ୍ପନା କରିନଥିଲି ।

ସତରେ ଓଡ଼ିଶାର ଆଜିର ଅନେକ ଶ୍ରେଷ୍ଠ ଲେଖକଙ୍କର ସେ ଥିଲେ ଏକ ପ୍ରକାର ଆଦ୍ୟ ପ୍ରେରଣା ଓ ଶେଷ ପର୍ଯ୍ୟନ୍ତ ତାଙ୍କର ପରମ ଆତ୍ମୀୟ ।

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment